इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୨୫

ରାଜ୍ୟଘରଗୁଡ଼ିକର ନିର୍ମାଣ କାହିଁକି ଏବଂ କିପରି କରାଯାଏ ?

ରାଜ୍ୟଘରଗୁଡ଼ିକର ନିର୍ମାଣ କାହିଁକି ଏବଂ କିପରି କରାଯାଏ ?

ବୋଲିଭିଆ

ନାଇଜେରିଆ, ପୂର୍ବରୁ ଏବଂ ପରେ

ତାହିତୀ

ରାଜ୍ୟଘର ନାମରୁ ଜଣାପଡ଼େ ଯେ ଏଠାରେ ବାଇବଲରୁ ଯେଉଁ ଶିକ୍ଷା ଦିଆଯାଏ, ତାହାର ମୁଖ୍ୟ ବିଷୟ ଈଶ୍ୱରଙ୍କ ରାଜ୍ୟ ଅଟେ । ଏହା ଯୀଶୁଙ୍କ ପ୍ରଚାରର ମଧ୍ୟ ମୁଖ୍ୟ ବିଷୟ ଥିଲା ।—ଲୂକ ୮:୧.

ଏହା ସମାଜରେ ସତ୍ୟ ଉପାସନାର କେନ୍ଦ୍ର ଅଟେ । ଏଠାରୁ ଯିହୋବାଙ୍କ ସାକ୍ଷୀମାନେ ନିଜ ଅଞ୍ଚଳରେ ବ୍ୟବସ୍ଥିତ ଭାବେ ସୁସମାଚାର ପ୍ରଚାର କରିପାରନ୍ତି । (ମାଥିଉ ୨୪:୧୪) ରାଜ୍ୟଘରଗୁଡ଼ିକର ଆକାର ଛୋଟବଡ଼ ହୋଇପାରେ ଏବଂ ନକ୍ସା ମଧ୍ୟ ଭିନ୍ନ ଭିନ୍ନ ହୋଇପାରେ । କିନ୍ତୁ ଏଗୁଡ଼ିକ ଦେଖିବାକୁ ସାଧାରଣ ହୋଇଥାଏ ଏବଂ ଅନେକ ରାଜ୍ୟଘରେ ସଭା ପାଇଁ ଗୋଟିଏରୁ ଅଧିକ ମଣ୍ଡଳୀ ଏକାଠି ହୁଅନ୍ତି । ଗତ କିଛି ବର୍ଷ ହେଲା, ଆମେ ସାରା ପୃଥିବୀରେ ହଜାର ହଜାର ନୂଆ ରାଜ୍ୟଘର (ପ୍ରତିଦିନ ହାରାହାରି ୫ଟି ରାଜ୍ୟଘର) ନିର୍ମାଣ କରିଛୁ । କାରଣ ଯେପରି ଭାବରେ ମଣ୍ଡଳୀଗୁଡ଼ିକର ଓ ପ୍ରଚାରକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, ସେମାନଙ୍କ ଏକତ୍ରିତ ହେବା ପାଇଁ ଜାଗା ହୋଇପାରିବ । ତେବେ ଏତେଗୁଡ଼ିଏ ରାଜ୍ୟଘରଗୁଡ଼ିକର ନିର୍ମାଣ କିପରି ସମ୍ଭବ ହୋଇପାରିଛି ?—ମାଥିଉ ୧୯:୨୬.

ଏହାର ନିର୍ମାଣ ଏକ କେନ୍ଦ୍ରୀୟ ପାଣ୍ଠିକୁ ପଠାଯାଇଥିବା ଦାନରୁ କରାଯାଏ । ଏହି ଦାନ ଶାଖା କାର୍ଯ୍ୟାଳୟକୁ ପଠାଇ ଦିଆଯାଏ । ଏହାଦ୍ୱାରା ଯେଉଁ ମଣ୍ଡଳୀଗୁଡ଼ିକୁ ନୂଆ ରାଜ୍ୟଘରର ଆବଶ୍ୟକତା ରହିଛି, କିମ୍ବା ଯେଉଁମାନଙ୍କୁ ନିଜ ରାଜ୍ୟଘରର ମରାମତି କରିବାକୁ ହୁଏ, ସେମାନଙ୍କୁ ବିନା ସୁଧରେ ପଇସା ଦିଆଯାଏ ।

ଏହାର ନିର୍ମାଣ ସମାଜର ଭିନ୍ନ ଭିନ୍ନ ଶ୍ରେଣୀରୁ ଆସିଥିବା ସ୍ୱେଚ୍ଛାସେବକମାନେ କରନ୍ତି, ଯେଉଁମାନଙ୍କୁ କୌଣସି ଦରମା ମିଳେ ନାହିଁ । ଅନେକ ଦେଶରେ ରାଜ୍ୟଘର ନିର୍ମାଣ ସମୂହ ଗଠନ କରାଯାଇଛି । ନିର୍ମାଣ ସେବକମାନଙ୍କ ଦଳ ଓ ଅନ୍ୟ ସ୍ୱେଚ୍ଛାସେବକମାନେ ନିଜ ଦେଶରେ ହିଁ ଗୋଟିଏ ମଣ୍ଡଳୀରୁ ଅନ୍ୟ ମଣ୍ଡଳୀକୁ ଯାଇ ରାଜ୍ୟଘର ନିର୍ମାଣ କରିବାରେ ସାହାଯ୍ୟ କରନ୍ତି । ଦରକାର ପଡ଼ିଲେ ସେମାନେ ଦୂରଦୂରାନ୍ତର ଅଞ୍ଚଳକୁ ମଧ୍ୟ ଯାଆନ୍ତି । କେତେକ ଦେଶରେ ଯୋଗ୍ୟ ସାକ୍ଷୀମାନଙ୍କୁ ନିଯୁକ୍ତ କରାଯାଏ, ଯେଉଁମାନଙ୍କୁ ଗୋଟିଏ ଅଞ୍ଚଳ ଦିଆଯାଏ ଏବଂ ସେମାନେ ସେହି ଅଞ୍ଚଳରେ ରାଜ୍ୟଘର ନିର୍ମାଣ ଓ ମରାମତି କରିବାରେ ଦେଖାଶୁଣା କରନ୍ତି । ଏହା ସତ ଯେ ପ୍ରତ୍ୟେକ ନିର୍ମାଣ ଜାଗାରେ ନିର୍ମାଣ ସମୂହର ଅନେକ ଦକ୍ଷ କାରିଗର ଖୁସିର ସହିତ ଆସି ଏହି କାମରେ ସାହାଯ୍ୟ କରନ୍ତି, କିନ୍ତୁ ଅଧିକାଂଶ ପରିଶ୍ରମ ମଣ୍ଡଳୀର ଭାଇଭଉଣୀମାନେ କରିଥାʼନ୍ତି । ଯିହୋବାଙ୍କ ପବିତ୍ର ଶକ୍ତି ଓ ତାଙ୍କ ଲୋକମାନଙ୍କ ମନ-ପ୍ରାଣର ସହିତ କରାଯାଇଥିବା ପରିଶ୍ରମ ଦ୍ୱାରା ହିଁ ଏହା ସମ୍ଭବ ହେଉଛି ।—ଗୀତସଂହିତା ୧୨୭:୧; କଲସୀୟ ୩:୨୩.

  • ଆମ ଉପାସନାର ଜାଗାଗୁଡ଼ିକୁ ରାଜ୍ୟଘର କାହିଁକି କୁହାଯାଏ ?

  • ସାରା ଦୁନିଆରେ ଏତେଗୁଡ଼ିଏ ରାଜ୍ୟଘରର ନିର୍ମାଣ କିପରି ସମ୍ଭବ ହୋଇପାରୁଛି ?