इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୯

ଆପଣଙ୍କ ପରିବାର କିପରି ଖୁସିରେ ରହିପାରିବ ?

ଆପଣଙ୍କ ପରିବାର କିପରି ଖୁସିରେ ରହିପାରିବ ?

୧. ପରିବାରରେ ଖୁସି ପାଇବା ପାଇଁ ଗୋଟିଏ ଯୋଡ଼ିକୁ ବିବାହ କରିବା କାହିଁକି ଜରୁରୀ ଅଟେ?

 ଖୁସିର ଖବର ଯିହୋବାଙ୍କ ତରଫରୁ ଅଟେ। ଯିହୋବା ନିଜେ ଜଣେ “ଆନନ୍ଦିତ ପରମେଶ୍ୱର” ଅଟନ୍ତି। ତେଣୁ ସେ ଚାହାନ୍ତି ଯେ ସମସ୍ତ ପରିବାର ଖୁସିରେ ରହନ୍ତୁ। (୧ ତୀମଥି ୧:୧୧, NW) ବିବାହର ପବିତ୍ର ବନ୍ଧନ ସେ ହିଁ ଆରମ୍ଭ କରିଛନ୍ତି। ପାରିବାରିକ ଖୁସି ପାଇଁ ପତିପତ୍ନୀ ଆଇନ ଅନୁସାରେ ବିବାହ କରିବା ଅତି ଜରୁରୀ ଅଟେ କାରଣ ଏଥିରୁ ପତିପତ୍ନୀ ପିଲାମାନେ ଏବଂ ସମସ୍ତେ ସୁରକ୍ଷିତ ଅନୁଭବ କରନ୍ତି। ଯେଉଁମାନେ ପରମେଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି, ସେମାନେ ନିଜ ଦେଶର ଆଇନ ଅନୁସାରେ ବିବାହକୁ ପଞ୍ଜୀକରଣ କରିବା ଉଚିତ୍‌।—ଲୂକ ୨:୧, ୪, ୫ ପଢ଼ନ୍ତୁ।

 ବିବାହ ବିଷୟରେ ପରମେଶ୍ୱରଙ୍କ ଦୃଷ୍ଟିକୋଣ କʼଣ ଅଟେ? ଯିହୋବା ଚାହାନ୍ତି ଯେ ଜଣେ ପୁରୁଷ ଏବଂ ଜଣେ ସ୍ତ୍ରୀଙ୍କ ମଧ୍ୟରେ ଏହି ବନ୍ଧନ ସବୁଦିନ ରହୁ। ଯିହୋବା ଚାହାନ୍ତି ଯେ ପୁରୁଷ ଏବଂ ସ୍ତ୍ରୀ ପରସ୍ପର ପ୍ରତି ବିଶ୍ୱସ୍ତ ରହନ୍ତୁ। (ଏବ୍ରୀ ୧୩:୪) ସେ ଛାଡ଼ପତ୍ର ଦେବାକୁ ଘୃଣା କରନ୍ତି। (ମଲାଖୀ ୨:୧୬) କିନ୍ତୁ ଗୋଟିଏ କ୍ଷେତ୍ରରେ ପରମେଶ୍ୱର ଛାଡ଼ପତ୍ର ଦେବା ପାଇଁ ଅନୁମତି ଦିଅନ୍ତି। ଯଦି କୌଣସି ମସୀହଙ୍କ ଜୀବନସାଥୀ ବ୍ୟଭିଚାର କରେ, ତେବେ ସେ ଛାଡ଼ପତ୍ର ଦେଇ ପୁଣିଥରେ ବିବାହ କରିପାରିବେ।—ମାଥିଉ ୧୯:୩-୬,  ପଢ଼ନ୍ତୁ।

୨. ପତିପତ୍ନୀ ପରସ୍ପରକୁ କିପରି ବ୍ୟବହାର କରିବା ଉଚିତ୍‌?

 ଯିହୋବା ସ୍ତ୍ରୀ-ପୁରୁଷଙ୍କୁ ଏପରି ସୃଷ୍ଟି କରିଛନ୍ତି ଯେ ସେମାନେ ଦୁହେଁ ମିଶି ତାଙ୍କ ବୈବାହିକ ଜୀବନରେ ନିଜ ନିଜ ଭୂମିକା ପୂରା କରି ଆନନ୍ଦରେ ରହିପାରିବେ। (ଆଦି ପୁସ୍ତକ ୨:୧୮) ସ୍ୱାମୀ ପରିବାରର ମୁଖିଆ ହୋଇଥିବାରୁ ପରିବାରର ଭରଣପୋଷଣ କରିବା ଏବଂ ପରିବାରକୁ ପରମେଶ୍ୱରଙ୍କ ବିଷୟରେ ଶିଖାଇବା ତାଙ୍କ ଦାୟିତ୍ୱ ଅଟେ। ସ୍ୱାମୀ ନିଜ ଆବଶ୍ୟକତା ଅପେକ୍ଷା ତାଙ୍କ ସ୍ତ୍ରୀର ଆବଶ୍ୟକତା ପ୍ରତି ଅଧିକ ଧ୍ୟାନ ଦେବା ଉଚିତ୍‌। ପତିପତ୍ନୀ ପରସ୍ପରକୁ ପ୍ରେମ ଓ ଆଦର କରିବା ଉଚିତ୍‌। ସେମାନଙ୍କୁ ମନେ ରଖିବା ଉଚିତ୍‌ ଯେ ସେ ଦୁହେଁ ଅସିଦ୍ଧ ଅଟନ୍ତି। ତେଣୁ ପରସ୍ପରକୁ କ୍ଷମା କରିବା ବହୁତ ଜରୁରୀ ଅଟେ। ଏପରି କରିବା ଦ୍ୱାରା ପରିବାର ଖୁସିରେ ରହିବ।—ଏଫିସୀୟ ୪:୩୧, ୩୨; ୫:୨୨-୨୫, ୩୩; ୧ ପିତର ୩:୭ ପଢ଼ନ୍ତୁ।

୩. ଯଦି ଆପଣ ନିଜ ବୈବାହିକ ଜୀବନରେ ଖୁସି ନାହାନ୍ତି, ତେବେ ନିଜ ସାଥୀକୁ କʼଣ ଛାଡ଼ି ଦେବା ଉଚିତ୍‌?

 ଯଦି ପତିପତ୍ନୀ ନିଜ ବୈବାହିକ ଜୀବନରେ ସମସ୍ୟାର ସାମନା କରୁଛନ୍ତି, ତେବେ ସେମାନେ ପରସ୍ପର ପ୍ରତି ପ୍ରେମ ଦେଖାଇବା ପାଇଁ ଚେଷ୍ଟା ଜାରି ରଖିବା ଉଚିତ୍‌। (୧ କରିନ୍ଥୀୟ ୧୩:୪, ୫) ପରମେଶ୍ୱରଙ୍କ ବାକ୍ୟ ବୈବାହିକ ଜୀବନରେ ଆସୁଥିବା ସାଧାରଣ ସମସ୍ୟାଗୁଡ଼ିକରୁ ମୁକ୍ତି ପାଇବାକୁ ପରସ୍ପରଠାରୁ ଅଲଗା ହେବା ପାଇଁ ପ୍ରୋତ୍ସାହନ କରେ ନାହିଁ।—୧ କରିନ୍ଥୀୟ ୭:୧୦-୧୩ ପଢ଼ନ୍ତୁ।

୪. ପିଲାମାନେ, ପରମେଶ୍ୱର ଆପଣଙ୍କ ପାଇଁ କʼଣ ଚାହାନ୍ତି?

 ଯିହୋବା ଚାହାନ୍ତି ଯେ ଆପଣମାନେ ଖୁସିରେ ରହନ୍ତୁ। ଆପଣମାନେ ନିଜ ଯୌବନ ସମୟରେ କିପରି ଖୁସି ପାଇପାରିବେ, ତାʼ ବିଷୟରେ ପରମେଶ୍ୱର ଉତ୍ତମ ନିର୍ଦ୍ଦେଶ ଦିଅନ୍ତି। ପରମେଶ୍ୱର ଚାହାନ୍ତି ଯେ ଆପଣମାନେ ନିଜ ପିତାମାତାଙ୍କ ବୁଦ୍ଧି ଏବଂ ଅନୁଭବରୁ ଲାଭ ପାଆନ୍ତୁ। (କଲସୀୟ ୩:୨୦) ଏହା ସହିତ, ଯିହୋବା ଚାହାନ୍ତି ଯେ ଆପଣମାନେ ନିଜ ସୃଷ୍ଟିକର୍ତ୍ତା ଏବଂ ତାଙ୍କ ପୁତ୍ର ଯୀଶୁଙ୍କ ସେବା କରି ଆନନ୍ଦ ପାଆନ୍ତୁ।—ଉପଦେଶକ ୧୧:୯–୧୨:୧; ମାଥିଉ ୧୯:୧୩-୧୫; ୨୧:୧୫, ୧୬ ପଢ଼ନ୍ତୁ।

୫. ପିତାମାତାମାନେ, ଆପଣ ନିଜ ପିଲାମାନଙ୍କୁ ଖୁସି କେମିତି ଦେଇପାରିବେ?

 ଆପଣମାନଙ୍କୁ ନିଜ ପିଲାମାନଙ୍କ ଖାଇବା, ପିନ୍ଧିବା ଏବଂ ରହିବାର ବ୍ୟବସ୍ଥା ପାଇଁ ପରିଶ୍ରମ କରିବା ଉଚିତ୍‌। (୧ ତୀମଥି ୫:୮) କିନ୍ତୁ ଯଦି ଆପଣ ଚାହାନ୍ତି ଯେ ପିଲାମାନେ ପ୍ରକୃତରେ ଖୁସିରେ ରହନ୍ତୁ, ତେବେ ଏହା ଜରୁରୀ ଯେ ଆପଣମାନେ ସେମାନଙ୍କୁ ପରମେଶ୍ୱରଙ୍କ ବିଷୟରେ ଶିଖାନ୍ତୁ ଏବଂ ପରମେଶ୍ୱରଙ୍କୁ ପ୍ରେମ କରିବାର ମହତ୍ତ୍ୱ ବିଷୟରେ ବୁଝାନ୍ତୁ। (ଏଫିସୀୟ ୬:୪) ପରମେଶ୍ୱରଙ୍କ ପ୍ରତି ଆପଣଙ୍କ ପ୍ରେମ ଦେଖି ସେମାନେ ମଧ୍ୟ ଯିହୋବାଙ୍କୁ ପ୍ରେମ କରିବା ଶିଖିବେ। ପରମେଶ୍ୱରଙ୍କ ବାକ୍ୟରୁ ଆଧାରିତ ନିର୍ଦ୍ଦେଶ ଦେଇ ଆପଣ ସେମାନଙ୍କୁ ସଠିକ୍‌ ରାସ୍ତାରେ ଚାଲିବା ପାଇଁ ସାହାଯ୍ୟ କରିପାରିବେ।—ଦ୍ୱିତୀୟ ବିବରଣ ୬:୪-୭; ହିତୋପଦେଶ ୨୨:୬ ପଢ଼ନ୍ତୁ।

 ପିଲାମାନଙ୍କୁ ଉତ୍ସାହିତ ଏବଂ ପ୍ରଶଂସା କରନ୍ତୁ। ଏହା ସହିତ, ତାଙ୍କ ଭୁଲଗୁଡ଼ିକୁ ସୁଧାରନ୍ତୁ ଓ ଦରକାର ପଡ଼ିଲେ ଅନୁଶାସନ ଦିଅନ୍ତୁ। ଯଦି ଆପଣମାନେ ତାଙ୍କୁ ସଠିକ୍‌ ତାଲିମ୍‌ ଦିଅନ୍ତି, ତେବେ ସେମାନେ ସୁରକ୍ଷିତ ରହିବେ ଏବଂ ଏମିତି କିଛି ଭୁଲ କାମ କରିବେ ନାହିଁ, ଯାହାଦ୍ୱାରା ସେମାନେ ଖୁସିରୁ ବଞ୍ଚିତ ହେବେ। (ହିତୋପଦେଶ ୨୨:୧୫) କିନ୍ତୁ ମନେ ରଖନ୍ତୁ, କଠୋର କିମ୍ବା ନିଷ୍ଠୁର ହୋଇ ଶିକ୍ଷା ଦେବା କେବେ ମଧ୍ୟ ଉଚିତ୍‌ ନୁହେଁ।—କଲସୀୟ ୩:୨୧ ପଢ଼ନ୍ତୁ।

 ଯିହୋବାଙ୍କ ସାକ୍ଷୀମାନେ ବିଶେଷ କରି ପିତାମାତା ଏବଂ ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ବହିଗୁଡ଼ିକ ପ୍ରକାଶନ କରିଛନ୍ତି, ଯେଉଁଥିରେ ବାଇବଲ ଆଧାରିତ ପରାମର୍ଶ ମିଳେ।—ଗୀତସଂହିତା ୧୯:୭, ୧୧ ପଢ଼ନ୍ତୁ।