इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଭାଗ ୨

ପରସ୍ପର ପ୍ରତି ବିଶ୍ୱସ୍ତ ରହନ୍ତୁ

ପରସ୍ପର ପ୍ରତି ବିଶ୍ୱସ୍ତ ରହନ୍ତୁ

‘ଈଶ୍ୱର ଯାହା ସଂଯୁକ୍ତ କରିଅଛନ୍ତି, ମନୁଷ୍ୟ ତାହା ଅଲଗା ନ କରୁ ।’—ମାର୍କ ୧୦:୯

ଯିହୋବା ଚାହାନ୍ତି ଯେ ଆମେ ‘ବିଶ୍ୱସ୍ତ’ ହେବା ଉଚିତ୍‌ । (ମୀଖା ୬:୮, NW) ଏହା ବିଶେଷତଃ ଆପଣଙ୍କ ବୈବାହିକ ଜୀବନରେ ବହୁତ ମହତ୍ତ୍ୱ ରଖିଥାଏ । କାରଣ ଯଦି ପତି-ପତ୍ନୀ ପରସ୍ପର ପ୍ରତି ବିଶ୍ୱସ୍ତ ନ ରହିବେ, ତେବେ ସେମାନେ ପରସ୍ପରକୁ ଭରସା କରିପାରିବେ ନାହିଁ । ପତି-ପତ୍ନୀଙ୍କ ମଧ୍ୟରେ ପ୍ରେମ ଆହୁରି ଗଭୀର ହେବା ପାଇଁ ସେମାନେ ପରସ୍ପର ପ୍ରତି ଭରସା କରିବା ଅତି ଜରୁରୀ ଅଟେ ।

ଆଜି ବୈବାହିକ ଜୀବନରେ ବିଶ୍ୱସ୍ତତା ବଜାୟ ରଖିବା ଏତେ ସହଜ ନୁହେଁ । ବିବାହ ବନ୍ଧନକୁ ସୁରକ୍ଷିତ ରଖିବା ନିମନ୍ତେ ଆପଣଙ୍କୁ ଦୁଇଟି ପଦକ୍ଷେପ ପାଇଁ ଦୃଢ଼ ନିଷ୍ପତ୍ତି ନେବା ଉଚିତ୍‌ ।

୧ ଆପଣଙ୍କ ବିବାହକୁ ନିଜ ଜୀବନରେ ପ୍ରାଥମିକତା ଦିଅନ୍ତୁ

ବାଇବଲ କʼଣ କହେ: ‘ଭଲ ଓ ମନ୍ଦର ପାର୍ଥକ୍ୟ ଦେଖ ଏବଂ ଉତ୍ତମ ବିଷୟ ବାଛ ।’ (ଫିଲିପ୍ପୀୟ ୧:୧୦, ଇଜି-ଟୁ-ରିଡ୍‌ ଭର୍ସନ) ଆପଣଙ୍କର ବିବାହ ଆପଣଙ୍କ ଜୀବନର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ମଧ୍ୟରୁ ଗୋଟିଏ ଅଟେ । ତେଣୁ ଆପଣ ଏହାକୁ ନିଜ ଜୀବନରେ ପ୍ରାଥମିକତା ଦେବା ଉଚିତ୍‌ ।

ଯିହୋବା ଚାହାନ୍ତି ଯେ ଆପଣ ନିଜ ଜୀବନସାଥୀଙ୍କ ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ଦୁହେଁ ମିଶି ‘ଆନନ୍ଦରେ ବାସ କରନ୍ତୁ ।’ (ଉପଦେଶକ ୯:୯) ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଆପଣ ତାଙ୍କୁ ଅବହେଳା କରିବା ଉଚିତ୍‌ ନୁହଁ, ବରଂ ଦୁହେଁ ପରସ୍ପରକୁ ଖୁସି କରିବା ପାଇଁ ସୁଯୋଗ ଖୋଜିବା ଉଚିତ୍‌ । (୧ କରିନ୍ଥୀୟ ୧୦:୨୪) ଜୀବନସାଥୀଙ୍କୁ ଅନୁଭବ କରିବାକୁ ଦିଅନ୍ତୁ ଯେ ସେ ଆପଣଙ୍କ ପାଇଁ ବହୁମୂଲ୍ୟ ଅଟନ୍ତି ଏବଂ ଆପଣ ତାଙ୍କୁ ଗଭୀର ଆଦର କରନ୍ତି ।

ଆପଣ କʼଣ କରିପାରିବେ:

  • ଏବିଷୟରେ ନିଶ୍ଚିତ ହୁଅନ୍ତୁ ଯେ ଆପଣ ନିୟମିତ ରୂପେ ପରସ୍ପର ସହିତ ସମୟ ବିତାଉଛନ୍ତି ନା ନାହିଁ ଏବଂ ଏପରି କରିବା ସମୟରେ ପରସ୍ପରକୁ ଧ୍ୟାନର ସହିତ ଶୁଣନ୍ତୁ

  • କେବଳ “ମୁଁ” ନୁହଁ, ବରଂ “ଆମେ” ବିଷୟରେ ଚିନ୍ତା କରନ୍ତୁ

୨ ଆପଣଙ୍କ ହୃଦୟକୁ ସୁରକ୍ଷିତ ରଖନ୍ତୁ

ବାଇବଲ କʼଣ କହେ: “ପ୍ରତ୍ୟେକ ପୁରୁଷ ଯିଏ କୌଣସି ସ୍ତ୍ରୀକୁ ଏପରି ଦୃଷ୍ଟିରେ ଦେଖେ, ଯାହା ଯୋଗୁଁ ତାʼ ମନରେ ସେହି ସ୍ତ୍ରୀ ପାଇଁ କାମନା ଜାତ ହୁଏ, ସେ ନିଜ ହୃଦୟରେ ସେହି ସ୍ତ୍ରୀ ସହିତ ବ୍ୟଭିଚାର କରି ସାରିଲାଣି ।” (ମାଥିଉ ୫:୨୮, NW) ଯଦି କେହି ଅନୈତିକ ବିଷୟଗୁଡ଼ିକରେ ସର୍ବଦା ଚିନ୍ତା କରେ, ତେବେ ଗୋଟିଏ ଅର୍ଥରେ କହିବାକୁ ଗଲେ, ସେ ନିଜ ଜୀବନସାଥୀଙ୍କ ସହିତ ବିଶ୍ୱାସଘାତ କରିଥାଏ ।

ଯିହୋବା କହନ୍ତି ଯେ ଆପଣ “ନିଜ ହୃଦୟକୁ ସୁରକ୍ଷିତ” ରଖିବା ଉଚିତ୍‌ । (ହିତୋପଦେଶ ୪:୨୩, NW; ଯିରିମୀୟ ୧୭:୯) ଏଥିପାଇଁ ଆପଣଙ୍କୁ ଧ୍ୟାନ ଦେବାକୁ ହେବ ଯେ ଆପଣ ନିଜ ଆଖିରେ କʼଣ କʼଣ ଦେଖନ୍ତି । (ମାଥିଉ ୫:୨୯, ୩୦) ଆୟୁବଙ୍କ ଉଦାହରଣକୁ ଅନୁକରଣ କରନ୍ତୁ । ସେ ନିଜ ଆଖି ସହିତ ନିୟମ ବା ଚୁକ୍ତି କରିଥିଲେ ଯେ ସେ କେବେ ମଧ୍ୟ କୌଣସି ସ୍ତ୍ରୀକୁ ମନ୍ଦ ଦୃଷ୍ଟିରେ ଦେଖିବେ ନାହିଁ । (ଆୟୁବ ୩୧:୧) ଦୃଢ଼ ନିଷ୍ପତ୍ତି ନିଅନ୍ତୁ ଯେ ଆପଣ କେବେ ମଧ୍ୟ କୌଣସି ଅଶ୍ଳୀଳ ଭିଡିଓ କିମ୍ବା ଛବି ଦେଖିବେ ନାହିଁ ଏବଂ ନିଜ ଜୀବନସାଥୀଙ୍କ ଛଡ଼ା ଅନ୍ୟ କୌଣସି ବ୍ୟକ୍ତି ସହିତ ରୋମାଣ୍ଟିକ୍‌ ସମ୍ପର୍କ ରଖିବେ ନାହିଁ ।

ଆପଣ କʼଣ କରିପାରିବେ:

  • ଅନ୍ୟମାନଙ୍କୁ ଦେଖାନ୍ତୁ ଯେ ଆପଣ ନିଜ ବୈବାହିକ ଜୀବନକୁ ଅତି ଗମ୍ଭୀରତାର ସହିତ ନିଅନ୍ତି ଏବଂ ନିଜ ଜୀବନସାଥୀଙ୍କୁ ବହୁତ ଭଲ ପାଆନ୍ତି

  • ଆପଣଙ୍କ ଜୀବନସାଥୀଙ୍କ ଭାବନାଗୁଡ଼ିକ ପ୍ରତି ସହାନୁଭୂତି ଦେଖାନ୍ତୁ ଏବଂ ଏପରି ଯେକୌଣସି ସମ୍ପର୍କକୁ ତୁରନ୍ତ ସମାପ୍ତ କରିଦିଅନ୍ତୁ, ଯାହା ଆପଣଙ୍କ ଜୀବନସାଥୀଙ୍କୁ ଠିକ୍‌ ଲାଗେ ନାହିଁ