इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଆପଣଙ୍କ ପ୍ରଶ୍ନ

ଆପଣଙ୍କ ପ୍ରଶ୍ନ

ଯିଶାଇୟ ୬୦:୧ ପଦରେ କାହା ବିଷୟରେ କୁହାଯାଇଛି ଓ ସେ କିପରି ‘ଉଠି ଦୀପ୍ତିମତୀ’ ହୁଏ ?

ଯିଶାଇୟ ୬୦:୧ ପଦରେ ଲେଖାଅଛି, “ଉଠ, ଦୀପ୍ତିମତୀ ହୁଅ, କାରଣ ତୁମ୍ଭର ଦୀପ୍ତି ଉପସ୍ଥିତ ଓ ସଦାପ୍ରଭୁଙ୍କର ପ୍ରତାପ ତୁମ୍ଭ ଉପରେ ଉଦିତ ହୋଇଅଛି ।” ପଦରୁ ଜଣାପଡ଼େ ଯେ ଏଠାରେ ସିୟୋନ ବା ଯିରୂଶାଲମ ନଗରୀ ବିଷୟରେ କୁହାଯାଇଛି, ଯାହା ପ୍ରାଚୀନ ସମୟରେ ଯିହୁଦାର ରାଜଧାନୀ ଥିଲା । (ଯିଶା. ୬୦:୧୪; ୬୨:୧, ୨) ଏହି ନଗରୀ ସମସ୍ତ ଇସ୍ରାଏଲ ରାଷ୍ଟ୍ରକୁ ଦର୍ଶାଉ ଥିଲା । କିନ୍ତୁ ଯିଶାଇୟ ୬୦:୧ ପଦ ପଢ଼ିଲେ ଆମ ମନରେ ଦୁଇଟି ପ୍ରଶ୍ନ ଆସେ, (୧) ଯିରୂଶାଲମ ନଗରୀ କେବେ ଓ କିପରି ‘ଉଠି ଦୀପ୍ତିମତୀ’ ହେଲା ? ଏବଂ (୨) କʼଣ ଯିଶାଇୟଙ୍କ ଏହି ଭବିଷ୍ୟତବାଣୀ ଆଜି ବଡ଼ ମାତ୍ରାରେ ପୂରା ହେଉଛି ?

ଯିରୂଶାଲମ ନଗରୀ କେବେ ଓ କିପରି ‘ଉଠି ଦୀପ୍ତିମତୀ’ ହେଲା ? ଯେବେ ଯିହୁଦୀ ୭୦ ବର୍ଷ ଯାଏ ବାବିଲର ଦାସତ୍ୱରେ ଥିଲେ, ତେବେ ଯିରୂଶାଲମ ଓ ସେଠାର ମନ୍ଦିର ଧ୍ୱଂସ ହୋଇ ପଡ଼ି ରହିଥିଲା । କିନ୍ତୁ ପରେ ମାଦୀୟ ଓ ପାରସ୍ୟର ଲୋକମାନେ ବାବିଲ ଉପରେ ଜୟ ହାସଲ କଲେ । ଆଉ ଏହି କାରଣ ଯୋଗୁଁ ବାବିଲ ସାମ୍ରାଜ୍ୟରେ ରହୁଥିବା ସମସ୍ତ ଇସ୍ରାଏଲୀୟମାନଙ୍କୁ ନିଜ ଦେଶ ଫେରି ପୁଣିଥରେ ଶୁଦ୍ଧ ଉପାସନା ଆରମ୍ଭ କରିବାର ସୁଯୋଗ ମିଳିଲା । (ଏଜ୍ରା ୧:୧-୪) ଖ୍ରୀଷ୍ଟ ପୂର୍ବ ୫୩୭ର ଆରମ୍ଭରେ ୧୨ ଗୋତ୍ରର ଯେଉଁ ବିଶ୍ୱସ୍ତ ଲୋକମାନେ ରହି ଯାଇଥିଲେ ସେମାନେ ଯିରୂଶାଲମ ଫେରିଲେ । (ଯିଶା. ୬୦:୪) ସେମାନେ ସେଠାରେ ଯିହୋବାଙ୍କ ପାଇଁ ବଳିଦାନ ଚଢ଼ାଇବା ଓ ପର୍ବପର୍ବାଣୀ ପାଳନ କରିବାକୁ ଲାଗିଲେ । ତାʼ ସହିତ ମନ୍ଦିର ପୁଣିଥରେ ନିର୍ମାଣ କରିବା ପାଇଁ ଆରମ୍ଭ କଲେ । (ଏଜ୍ରା ୩:୧-୪, ୭-୧୧; ୬:୧୬-୨୨) ପୁଣିଥରେ ଯିହୋବାଙ୍କ ମହିମା ଯିରୂଶାଲମରେ ଅର୍ଥାତ୍‌ ତାଙ୍କ ଲୋକମାନଙ୍କ ଉପରେ ଦୀପ୍ତିମତୀ ହେଲା । ଆଉ ତାଙ୍କ ଲୋକମାନେ ସେହି ରାଷ୍ଟ୍ରଗୁଡ଼ିକ ପାଇଁ ଦୀପ୍ତିମତୀ ହେଲେ, ଯେଉଁଠାରେ ଅନ୍ଧକାର ଥିଲା ଅର୍ଥାତ୍‌ ଯେଉଁମାନେ ଯିହୋବାଙ୍କୁ ଜାଣି ନ ଥିଲେ ।

ଯିଶାଇୟ ଶୁଦ୍ଧ ଉପାସନା ପୁନଃସ୍ଥାପନ କରିବା ବିଷୟରେ ଯେଉଁ ଭବିଷ୍ୟତବାଣୀ କରିଥିଲେ, ସେମଧ୍ୟରୁ କେବଳ କିଛି କଥା ହିଁ ଯିରୂଶାଲମ ନଗରୀରେ ପୂରା ହେଲା । ଆଗକୁ ଯାଇ ଅଧିକାଂଶ ଇସ୍ରାଏଲୀୟମାନେ ଯିହୋବାଙ୍କ ଆଜ୍ଞା ମାନିବା ଛାଡ଼ି ଦେଲେ । (ନିହି. ୧୩:୨୭; ମଲାଖି ୧:୬-୮; ୨:୧୩, ୧୪; ମାଥି. ୧୫:୭-୯) ଆଉ ସେମାନେ ମସୀହଙ୍କୁ ଅର୍ଥାତ୍‌ ଯୀଶୁ ଖ୍ରୀଷ୍ଟଙ୍କୁ ବି ପରିତ୍ୟାଗ କରିଦେଲେ । (ମାଥି. ୨୭:୧, ୨) ତେଣୁ ୭୦ ଖ୍ରୀଷ୍ଟାବ୍ଦରେ ପୁଣିଥରେ ଯିରୂଶାଲମ ଓ ସେଠାରେ ଥିବା ମନ୍ଦିରକୁ ନଷ୍ଟ କରି ଦିଆଗଲା ।

ଯିହୋବା ଆଗରୁ ହିଁ ଏବିଷୟରେ କହି ଦେଇଥିଲେ । (ଦାନି. ୯:୨୪-୨୭) ଏଥିରୁ ଜଣାପଡ଼େ ଯେ ଯିହୋବାଙ୍କ ଉଦ୍ଦେଶ୍ୟ ଏହା ନ ଥିଲା ଯେ ଯିଶାଇୟ ପୁନଃସ୍ଥାପନ ବିଷୟରେ ଯେଉଁ ଭବିଷ୍ୟତବାଣୀ କରିଥିଲେ, ତାʼର ପ୍ରତ୍ୟେକ କଥା ଯିରୂଶାଲମ ନଗରୀରେ ପୂରା ହେଉ ।

କʼଣ ଯିଶାଇୟଙ୍କ ଏହି ଭବିଷ୍ୟତବାଣୀ ଆଜି ବଡ଼ ମାତ୍ରାରେ ପୂରା ହେଉଛି ? ହଁ । ଯିହୋବା ଆଜି ଆଉ ଗୋଟିଏ ସ୍ତ୍ରୀ ଜରିଆରେ ଦୀପ୍ତି ଉପସ୍ଥିତ କରାଉଛନ୍ତି । ଏହା ପ୍ରକୃତରେ କୌଣସି ସ୍ତ୍ରୀ ନୁହେଁ, ବରଂ ଏହାକୁ “ଉର୍ଦ୍ଧ୍ୱସ୍ଥ ଯିରୂଶାଲମ” କୁହାଯାଇଛି । ପ୍ରେରିତ ପାଉଲ ଏହି ସ୍ତ୍ରୀ ବିଷୟରେ ଲେଖିଲେ, “ସେ ଆମ୍ଭମାନଙ୍କ ଜନନୀ ।” (ଗାଲା. ୪:୨୬) ଉର୍ଦ୍ଧ୍ୱସ୍ଥ ଯିରୂଶାଲମ ଯିହୋବାଙ୍କ ସଂଗଠନର ସେହି ଭାଗ ଅଟେ ଯାହା ସ୍ୱର୍ଗରେ ଅଛି ଏବଂ ସେଠାର ବିଶ୍ୱସ୍ତ ସ୍ୱର୍ଗଦୂତମାନଙ୍କୁ ନେଇ ସୃଷ୍ଟି ହୋଇଛି । ଏହି ସ୍ତ୍ରୀର “ସନ୍ତାନ” ବି ଅଛନ୍ତି । ଯୀଶୁ ସେମଧ୍ୟରୁ ଜଣେ ଅଟନ୍ତି । ତାʼଛଡ଼ା ୧,୪୪,୦୦୦ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ମଧ୍ୟ ତାʼର ସନ୍ତାନ ଅଟନ୍ତି, ଯେଉଁମାନଙ୍କୁ ପାଉଲଙ୍କ ଭଳି ସ୍ୱର୍ଗରେ ବଞ୍ଚିବାର ଆଶା ଅଛି । ସମସ୍ତ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ମିଶି “ପବିତ୍ର ଜାତି” ଅଟନ୍ତି ଯାହାକୁ “ଈଶ୍ୱରଙ୍କର ଇସ୍ରାଏଲ” କୁହାଯାଇଛି ।—୧ ପିତ. ୨:୯; ଗାଲା. ୬:୧୬.

ଉର୍ଦ୍ଧ୍ୱସ୍ଥ ଯିରୂଶାଲମ କେବେ ଓ କିପରି ‘ଉଠି ଦୀପ୍ତିମତୀ’ ହେବା ଆରମ୍ଭ କଲା ? ସେ ପୃଥିବୀରେ ଥିବା ନିଜ ଅଭିଷିକ୍ତ ସନ୍ତାନମାନଙ୍କ ଜରିଆରେ ଏପରି କଲା । ଆସନ୍ତୁ ଦେଖିବା ଯେ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କ ସହ ଯାହା ହେଲା, ତାହା ଯିଶାଇୟ ୬୦ ଅଧ୍ୟାୟରେ ଲେଖାଥିବା କଥାଗୁଡ଼ିକରୁ କିପରି ମେଳ ଖାଏ ।

ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ ‘ଉଠିବାର’ ଆବଶ୍ୟକ କାହିଁକି ପଡ଼ିଲା ? ଦ୍ୱିତୀୟ ଶତାବ୍ଦୀରେ ଧର୍ମତ୍ୟାଗୀମାନଙ୍କର ସଂଖ୍ୟା ବଢ଼ିବାକୁ ଲାଗିଲା ଏବଂ ସତ୍ୟର ଦୀପ୍ତି କମ୍‌ ହେବାକୁ ଲାଗିଲା । ତେଣୁ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ଯେପରି ଅନ୍ଧକାରରେ ଚାଲି ଯାଇଥିଲେ । (ମାଥି. ୧୩:୩୭-୪୩) ସେମାନେ ମହାନଗରୀ ବାବିଲର ବନ୍ଦୀରେ ଚାଲିଗଲେ ଅର୍ଥାତ୍‌ ସାମ୍ରାଜ୍ୟ ଭଳି ବ୍ୟାପିଥିବା ମିଛ ଧର୍ମଗୁଡ଼ିକର ବନ୍ଦୀରେ । ମହାନଗରୀ ବାବିଲ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ “ଯୁଗାନ୍ତ” ପର୍ଯ୍ୟନ୍ତ ବନ୍ଦୀ କରି ରଖିଲା । ଏହି ସମୟ ୧୯୧୪ରେ ଆରମ୍ଭ ହେଲା । (ମାଥି. ୧୩:୩୯, ୪୦) ଏହାର କିଛି ସମୟ ପରେ, ୧୯୧୯ରେ ସେମାନେ ମହାନଗରୀ ବାବିଲରୁ ମୁକ୍ତ ହୋଇଗଲେ ଏବଂ ତୁରନ୍ତ ଦୀପ୍ତି ଉପସ୍ଥିତ କରିବାକୁ ଲାଗିଲେ । ସେମାନେ ପୂରା ଉତ୍ସାହର ସହ ରାଜ୍ୟର ସୁସମାଚାର ପ୍ରଚାର କରିବାକୁ ଲାଗିଲେ । a ତାʼର ପରିଣାମ କʼଣ ହେଲା ? ଯେପରି ବର୍ଷ ଗଡ଼ି ଚାଲିଲା, ସମସ୍ତ ରାଷ୍ଟ୍ରର ଲୋକମାନେ ଏହି ଦୀପ୍ତି ଆଡ଼କୁ ଆକର୍ଷିତ ହେବାକୁ ଲାଗିଲେ । ଈଶ୍ୱରଙ୍କ ଇସ୍ରାଏଲରେ ରହିଯାଇଥିବା କିଛି ଲୋକମାନେ ମଧ୍ୟ ସେଆଡ଼କୁ ଆକର୍ଷିତ ହେବାକୁ ଲାଗିଲେ, ଯେଉଁମାନଙ୍କୁ ଯିଶାଇୟ ୬୦:୩ ପଦରେ “ରାଜଗଣ” ବୋଲି କୁହାଯାଇଛି ।—ପ୍ରକା. ୫:୯, ୧୦.

ଭବିଷ୍ୟତରେ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ଆହୁରି ବଡ଼ ମାତ୍ରାରେ ଈଶ୍ୱରଙ୍କ ଦୀପ୍ତି ଉପସ୍ଥିତ କରିବେ । ତାହା କିପରି ? ନିଜ ମୃତ୍ୟୁ ପରେ ଯେବେ ସେମାନେ ସ୍ୱର୍ଗ ଯିବେ, ତେବେ ‘ନୂତନ ଯିରୂଶାଲମର’ ଭାଗ ହୋଇଯିବେ ଅର୍ଥାତ୍‌ ଖ୍ରୀଷ୍ଟଙ୍କ କନ୍ୟା ହୋଇଯିବେ । ଆଉ ତାʼପରେ ୧,୪୪,୦୦୦ ଜଣ ଅଭିଷିକ୍ତ ଖ୍ରୀଷ୍ଟିୟାନ ଯୀଶୁଙ୍କ ସହିତ ରାଜା ଓ ଯାଜକ ଭାବେ ସେବା କରିବେ ।—ପ୍ରକା. ୧୪:୧; ୨୧:୧, ୨, ୨୪; ୨୨:୩-୫.

ଯିଶାଇୟ ୬୦:୧ ପଦରେ ଲେଖାଥିବା ଭବିଷ୍ୟତବାଣୀ ପୂରା କରିବା ପାଇଁ ନୂତନ ଯିରୂଶାଲମର ବହୁତ ବଡ଼ ଭୂମିକା ରହିବ । (ଯିଶାଇୟ ୬୦:୧, ୩, ୫, ୧୧, ୧୯, ୨୦; ପ୍ରକାଶିତ ବାକ୍ୟ ୨୧:୨, ୯-୧୧, ୨୨-୨୬ ପଦ ସହ ତୁଳନା କରନ୍ତୁ ।) ଠିକ୍‌ ଯେପରି ପ୍ରାଚୀନ ସମୟରେ ଇସ୍ରାଏଲ ଦେଶର ସମସ୍ତ ସରକାରୀ କାମଗୁଡ଼ିକ ଯିରୂଶାଲମରେ ହେଉଥିଲା, ଠିକ୍‌ ସେହିପରି ଯେବେ ନୂତନ ବ୍ୟବସ୍ଥା ହେବ, ସେସମୟରେ ନୂତନ ଯିରୂଶାଲମ ଓ ଖ୍ରୀଷ୍ଟଙ୍କ ସହ ମିଶି ଏସବୁ କାମ ସମ୍ଭାଳିବ । କିନ୍ତୁ ଏହାର କ‘ଣ ଅର୍ଥ ଅଟେ ଯେ ନୂତନ ଯିରୂଶାଲମ “ସ୍ୱର୍ଗରୁ ଈଶ୍ୱରଙ୍କ ନିକଟରୁ ଅବତରଣ” କରିବ । ଏହାର ଅର୍ଥ ହେଉଛି ଯେ ସେ ପୃଥିବୀର ଲୋକମାନଙ୍କ ଉପରେ ଧ୍ୟାନ ଦେବ ଏବଂ ତାଙ୍କୁ ଦୀପ୍ତିମତୀ କରିବ । ସବୁ ରାଷ୍ଟ୍ରରୁ ଈଶ୍ୱରଙ୍କ ଭୟ ମାନୁଥିବା ଲୋକମାନେ ‘ଆଲୋକରେ ଗମନାଗମନ’ କରିବେ । କେବଳ ଏତିକି ନୁହେଁ, ସେମାନଙ୍କୁ ପାପ ଓ ମୃତ୍ୟୁରୁ ବି ଉଦ୍ଧାର ମିଳିବ । (ପ୍ରକା. ୨୧:୩, ୪, ୨୪) ଶେଷରେ ଯେପରି ଯିଶାଇୟ ଏବଂ ଅନ୍ୟ ଭବିଷ୍ୟଦ୍‌ବକ୍ତାମାନେ କହିଥିଲେ, ‘ସମସ୍ତ ବିଷୟ ପୁନଃସ୍ଥାପନ କରି ଦିଆଯିବ ।’ (ପ୍ରେରି. ୩:୨୧) ଯେବେ ଖ୍ରୀଷ୍ଟ ରାଜା ହୋଇଥିଲେ, ତେବେ ଏହି କାମ ଆରମ୍ଭ ହୋଇଥିଲା । ଆଉ ଏହି କାମ ତାଙ୍କର ହଜାର ବର୍ଷର ଶାସନର ଶେଷରେ ଯାଇ ପୂରା ହେବ ।

a ୧୯୧୯ ମସିହାରେ ଶୁଦ୍ଧ ଉପାସନା ପୁନଃସ୍ଥାପନ କରାଗଲା । ଏବିଷୟରେ ଯିହିଜିକଲ ୩୭:୧-୧୪ ଏବଂ ପ୍ରକାଶିତ ବାକ୍ୟ ୧୧:୭-୧୨ ପଦରେ ମଧ୍ୟ କୁହାଯାଇଥିଲା । ଯିହିଜିକଲ କହିଥିଲେ ଯେ ଗୋଟିଏ ଲମ୍ବା ସମୟ ଯାଏ ବନ୍ଦୀ ରହିବା ପରେ ସମସ୍ତ ଅଭିଷିକ୍ତ ଖ୍ରୀଷ୍ଟିୟାନ ପୁଣିଥରେ ଯିହୋବାଙ୍କ ଶୁଦ୍ଧ ଉପାସନା କରିବେ । ଆଉ ପ୍ରକାଶିତ ବାକ୍ୟରେ କୁହାଯାଇଥିଲା ଯେ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କ ଗୋଟିଏ ଛୋଟ ସମୂହକୁ ଯେଉଁମାନେ ପୂର୍ବେ ନେତୃତ୍ୱ ନେଉଥିଲେ, ସେମାନଙ୍କୁ ଜୀବିତ କରାଯିବ । ପ୍ରକୃତରେ ଏହି ଭାଇମାନଙ୍କୁ ବିନା କୌଣସି ଅପରାଧରେ ଜେଲରେ ପୂରାଇ ଦିଆଯାଇଥିଲା, ଯାହାଯୋଗୁଁ କିଛି ସମୟ ପାଇଁ ସେମାନଙ୍କ କାମ ବନ୍ଦ ହୋଇ ଯାଇଥିଲା । ଏହା ଏପରି ଅଟେ ଯେପରି ସେମାନଙ୍କୁ ମାରି ଦିଆଯାଇଥିଲା । କିନ୍ତୁ ପରେ ସେମାନଙ୍କୁ ଜୀବିତ କରାଗଲା ଏବଂ ୧୯୧୯ ମସିହାରେ ‘ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସକୁ’ ନିଯୁକ୍ତ କରାଗଲା ।—ମାଥି. ୨୪:୪୫; ସାରି ଧରତି ପର୍‌ ୟହୋୱା କି ଶୁଦ୍ଧ ଉପାସନା ବାହାଲ୍‌ ! ବହିର ପୃଷ୍ଠା ୧୧୮ ପଢ଼ନ୍ତୁ ।