इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

କʼଣ ଆପଣ ଜାଣନ୍ତି ?

କʼଣ ଆପଣ ଜାଣନ୍ତି ?

ଇଥିଓପିଆର ଅଧିକାରୀ ସେହି ସମୟରେ କିପରି ଗାଡ଼ିରେ ଯାତ୍ରା କରୁଥିଲେ, ଯେବେ ଫିଲିପ୍ପ ଆସି ତାଙ୍କୁ ଭେଟିଲେ ?

ନୂତନ ଜଗତ ଅନୁବାଦ ବାଇବଲରେ ଯେଉଁ ଶବ୍ଦର ଅନୁବାଦ “ରଥ” କରାଯାଇଛି, ତାʼର ଅର୍ଥ ଅନେକ ପ୍ରକାରର ରଥ କିମ୍ବା ଗାଡ଼ିଗୁଡ଼ିକ ହୋଇପାରେ । (ପ୍ରେରି. ୮:୨୮, ୨୯, ୩୮) କିନ୍ତୁ ଏପରି ଜଣାପଡ଼େ ଯେ ଇଥିଓପିଆର ଅଧିକାରୀ ଯେଉଁ ଗାଡ଼ିରେ ଯାତ୍ରା କରୁଥିଲେ, ତାହା ଯୁଦ୍ଧ କିମ୍ବା ଦୌଡ଼ରେ ବ୍ୟବହାର କରୁଥିବା କୌଣସି ଛୋଟ ରଥ ନ ଥିଲା, ବରଂ ଗୋଟିଏ ବଡ଼ ଗାଡ଼ି ଥିଲା । ଆମେ ଏପରି କାହିଁକି କହିପାରିବା ? ଆସନ୍ତୁ ଏହାର କିଛି କାରଣ ଜାଣିବା ।

ଇଥିଓପିଆର ସେହି ବ୍ୟକ୍ତି ବଡ଼ ଅଧିକାରୀ ଥିଲେ, ଯିଏ ଗୋଟିଏ ଲମ୍ବା ଯାତ୍ରା କରିଥିଲେ । ସେ “ଇଥିଓପିଆ ଦେଶୀୟମାନଙ୍କ କାଣ୍ଡାକୀ ନାମ୍ନୀ ରାଣୀଙ୍କର ଅଧୀନସ୍ଥ ଜଣେ ଉଚ୍ଚ ପଦ ପ୍ରାପ୍ତ ଇଥିଓପିଆର ନପୁଂସକ, ଯେ ତାଙ୍କ ସମସ୍ତ ଧନଭଣ୍ଡାରର ବେବର୍ତ୍ତା ଥିଲେ ।” (ପ୍ରେରି. ୮:୨୭) ପ୍ରାଚୀନ ସମୟରେ ଇଥିଓପିଆ ଏତେ ବଡ଼ ଥିଲା ଯେ ସେଥିରେ ଆଜିର ସମୟର ସୁଦାନ ଦେଶ ଓ ମିଶରର ଦକ୍ଷିଣ ଭାଗ ବି ଆସୁଥିଲା । ହୁଏତ ଇଥିଓପିଆର ସେହି ଅଧିକାରୀ କେବଳ ଗୋଟିଏ ଗାଡ଼ିରେ ଏତେ ଲମ୍ବା ଯାତ୍ରା କରି ନ ଥିବେ, କିନ୍ତୁ ସେ ହୁଏତ ନିଶ୍ଚୟ ଅନେକ ଜିନିଷ ଧରି ଯାଉଥିବେ । ତାʼଛଡ଼ା, ପ୍ରଥମ ଶତାବ୍ଦୀରେ ଲୋକମାନଙ୍କ ପାଖରେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯିବା ପାଇଁ ଚାରି ଚକ ଥିବା ଗାଡ଼ି ବି ରହୁଥିଲା, ଯାହା ଉପରୁ ପୂରା ଢାଙ୍କି ହୋଇ ରହୁଥିଲା । “ଏହି ଗାଡ଼ିଗୁଡ଼ିକରେ ବହୁତ ଜିନିଷ ରଖିବାର ସୁବିଧା ଥିଲା ଓ ଯାତ୍ରା କରିବା ବେଶି ସହଜ ଥିଲା । ଆଉ ହୁଏତ ସେଥିପାଇଁ ଲୋକମାନେ ଏହି ଗାଡ଼ିରେ ଯିବା ଆସିବା କରିପାରୁଥିଲେ ।” ପ୍ରେରିତ ବହିର ଜ୍ଞାନ ଦେଉଥିବା ବହି ଏକ୍ଟସ୍‌—ଏନ୍‌ ଏକ୍ସେଜେଟିକାଲ କୋମେଣ୍ଟ୍ରି ।

ଫିଲିପ୍ପ ଯେବେ ଇଥିଓପିଆର ଅଧିକାରୀଙ୍କ ପାଖରେ ପହଞ୍ଚିଲେ, ତେବେ ସେ ପଢ଼ୁଥିଲେ । ବାଇବଲରେ ଲେଖାଅଛି, ‘ସେଥିରେ ଫିଲିପ୍ପ ଦୌଡ଼ିଯାଇ ସେ ଯିଶାଇୟ ଭାବବାଦୀଙ୍କ ଶାସ୍ତ୍ର ପାଠ କରୁଥିବା ଶୁଣିଲେ ।’ (ପ୍ରେରି. ୮:୩୦) ସେହି ସମୟରେ ଯିବା ଆସିବା କରିବା ପାଇଁ ଯେଉଁ ଗାଡ଼ିଗୁଡ଼ିକ ରହୁଥିଲା ସେଗୁଡ଼ିକ ଧିରେ ଧିରେ ଚାଲୁଥିଲା । ତେଣୁ ସେହି ଅଧିକାରୀ ଯେଉଁ ଗାଡ଼ିରେ ବସିଥିଲେ ସେଠାରେ ବସି ସେ ପଢ଼ିପାରିଲେ ଓ ଫିଲିପ୍ପ ବି ଦୌଡ଼ିଯାଇ ତାଙ୍କ ପାଖରେ ପହଞ୍ଚିପାରିଲେ ।

ଇଥିଓପିଆର ଅଧିକାରୀ “ଫିଲିପ୍ପଙ୍କୁ ଚଢ଼ି ଆସି ଆପଣା ନିକଟରେ ବସିବାକୁ ବିନତି କଲେ ।” (ପ୍ରେରି. ୮:୩୧) ଦେଖିବାକୁ ଗଲେ ଦୌଡ଼ରେ ବ୍ୟବହାର ହେଉଥିବା ରଥଗୁଡ଼ିକରେ ଲୋକେ ଠିଆ ହୋଇ ରହୁଥିଲେ । କିନ୍ତୁ ଯେଉଁ ଗାଡ଼ିରେ ଇଥିଓପିଆର ଅଧିକାରୀ ଯାଉଥିଲେ, ସେଠାରେ ବହୁତ ଜାଗା ଥିଲା ଯଦ୍ୱାରା ଫିଲିପ୍ପ ଓ ଅଧିକାରୀ ସେଥିରେ ଆରାମରେ ବସିପାରନ୍ତେ ।

ତାହେଲେ ପ୍ରେରିତ ୮ ଅଧ୍ୟାୟରେ ଦିଆଯାଇଥିବା ତଥ୍ୟକୁ ଓ ପ୍ରାଚୀନ ସମୟରେ ଯେଉଁ ତଥ୍ୟ ଦିଆଯାଇଛି ତାହାକୁ ଧ୍ୟାନରେ ରଖି ବର୍ତ୍ତମାନ ଆମେ କିଛି ପରିବର୍ତ୍ତନ କଲୁ । ଏବେ ଆମ କୌଣସି ପ୍ରକାଶନରେ ସେହି ଅଧିକାରୀଙ୍କୁ ଦୌଡ଼ କିମ୍ବା ଯୁଦ୍ଧରେ ବ୍ୟବହାର ହେଉଥିବା ଗୋଟିଏ ଛୋଟ ରଥରେ ଦେଖାଯାଏନି, ବରଂ ତାଙ୍କୁ ବଡ଼ ଗାଡ଼ିରେ ଦେଖାଯାଏ ।